କାନ୍ଧରେ ଚିଠି ଥଳି ଝୁଲାଇ ରେଳ ଧାରଣରେ ଚାଲୁଥିବା, ବାଷଠି ବର୍ଷ ବୟସ୍କ ଏହି ବୃଦ୍ଧ ହେଉଛନ୍ତି ଡି ଶିବନ। ତମିଳ ନାଡ଼ୁର ନୀଳଗିରି ପାହାଡ଼ିଆ ଅଞ୍ଚଳରେ ଥିବା ପ୍ରାୟ ପନ୍ଦରଟି ଗାଁରେ ସେ ବହୁ ବର୍ଷ ହେଲା ଚିଠି ବାଣ୍ଟୁଛନ୍ତି। ଏଥି ପାଇଁ ପ୍ରତି ଦିନ ସେ ବଣ-ପାହାଡ଼ ଭିତରେ ପ୍ରାୟ ପନ୍ଦର କିଲୋମିଟର୍ ପାଦରେ ଚାଲୁଛନ୍ତି। କେବେ ଥକି ପଡ଼ନ୍ତିନାହିଁ। ଅନେକ ଥର ବାଘ, ଭାଲୁ, ହାତୀ, ସାପ ଆକ୍ରମଣରୁ ବର୍ତ୍ତିଲେଣି। ଜୀବନ ପ୍ରତି ଭୟ ଥିବା ସତ୍ତ୍ୱେ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି।
ଲୋକଙ୍କ ସେବାକୁ ସେ ଗୁରୁତ୍ୱ ଦେଉଛନ୍ତି। ଶିବନ କହନ୍ତି- ‘ଗଲା ଛଅ ବର୍ଷ ମଧ୍ୟରେ ଚିଠି, ପାର୍ସଲ୍ ଆସିବା କମିଛି। ତଥାପି ଠିକ୍ ସମୟରେ ଚିଠି ପହଞ୍ଚାଇବା ମୋ’ର କାମ। ପାରିଶ୍ରମିକ ବାବଦରେ ବର୍ଷକୁ ବାର ହଜାର ଟଙ୍କା ଦରମା ମିଳୁଛି।’ ତିନି ବର୍ଷ ପରେ ସେ ଅବସର ନେବେ। ଅବସର ଯାଏ ଚିଠି ବାଣ୍ଟିବାରେ ଅବହେଳା କରିବେ ନାହିଁ ବୋଲି କହନ୍ତି। ପରିଣତ ବୟସରେ ବି ଏହି ବୃଦ୍ଧ ଡାକବାଲାଙ୍କ କର୍ତ୍ତବ୍ୟ ଓ ସେବା ମନୋଭାବ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ।
No comments:
Post a Comment